
ପାଟନା : ୨୦୨୦ ବିହାର ବିଧାନସଭା ନିର୍ବାଚନ ପରଠାରୁ ବିଜେପି ନୂଆ ରଣନୀତିରେ କାମ ଆରମ୍ଭ କରିଛି। ଏବେ ଦଳ ରାଜ୍ୟରେ ପୁରୁଖାଙ୍କୁ ବାଦ୍ ଦେଇ ଯୁବ ନେତାଙ୍କୁ ସୁଯୋଗ ଦେଉଛି। ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ତେବେ ବିଜେପି ବିହାରରେ ଏହାର ବରିଷ୍ଠ ନେତା ସୁଶୀଲ ମୋଦୀଙ୍କୁ ଉପେକ୍ଷା କରିବା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ସୁଶୀଲଙ୍କୁ ନିଶ୍ଚିତ କ୍ୟାବିନେଟ୍ ମନ୍ତ୍ରୀ କରାଯିବ ବୋଲି କୁହାଯାଉଥିଲା। ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଜେଡିୟୁ ତୁଳନାରେ ଅଧିକ ଆସନରେ ଜିତି ଏନ୍ଡିଏ ମେଣ୍ଟରେ ବଡ଼ ଅଂଶୀଦାର ହୋଇଥିଲା। ସେତେବେଳେ ସୁଶୀଲ ମୋଦୀ ନୀତୀଶ ସରକାରେ ଉପମୁଖ୍ୟ ହେବେ ବୋଲି କୁହାଯାଇଥିଲା। କିନ୍ତୁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଗଲା ନାହିଁ। ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ତାଙ୍କୁ ନିଆଯାଇନଥିବାରୁ ବିଜେପି ତାଙ୍କୁ ଆଉ ପ୍ରାଧାନ୍ୟ ଦେବାକୁ ଚାହୁନାହିଁ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସୁଶୀଲ ଅତି ଘନିଷ୍ଠ ହେବା ବିଜେପି ପାଇଁ ବହୁବାର ମହଙ୍ଗା ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ପୁଣି ଥରେ ଶକ୍ତିଶାଳୀ କରିବାକୁ ଆଉ ବିଜେପି ଚାହୁନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସୁଶୀଲ ମୋଦୀ ଦଳର ସ୍ବାର୍ଥକୁ ଗୌଣ କରି ନୀତୀଶଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ପୂର୍ବରୁ ଦଳର ବହୁ ନେତା କେନ୍ଦ୍ରୀୟ ନେତୃତ୍ବ ନିକଟରେ ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କୁ ଦଳ ରାଜ୍ୟ ସରକାରରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବିହାରରେ ବିଜେପି କେବଳ ସୁଶୀଲ ମୋଦୀଙ୍କୁ ବାଦ୍ ଦେଇନାହିଁ, ବରିଷ୍ଠ ନେତା ରବି ଶଙ୍କର ପ୍ରସାଦଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛି। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ବର୍ତ୍ତି ଯାଇଛନ୍ତି। ଚୌବେ କ୍ୟାବିନେଟ୍ରେ ରହିବାର ଏକମାତ୍ର ପ୍ରମୁଖ କାରଣ ହେଉଛି ସେ ବିହାରର ଏମମାତ୍ର ବ୍ରାହ୍ମଣ ଭାବେ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୯୫ ପର୍ଯ୍ୟନ୍ତ ବିଜେପି ସହରାଞ୍ଚଳ ଦଳ ଭାବେ ପରିଚିତ ଥିଲା। ଏହା ଉଚ୍ଚ ଜାତିର ଲୋକମାନଙ୍କ ପାର୍ଟି ବୋଲି ମଧ୍ୟ କୁହାଯାଉଥିଲା। ପରବର୍ତ୍ତୀ ସମୟରେ ପଛୁଆ ବର୍ଗଙ୍କୁ ପ୍ରଧାନ୍ୟ ଦେଇ ବିଜେପି ତା’ର ରଣନୀତିରେ ପରିବର୍ତ୍ତନ ଆଣିଲା। ସୁଶୀଲ ମୋଦୀ (ଓବିସି), ନନ୍ଦ କିଶୋର ଯାଦବ (ଓବିସି) ଏବଂ ପ୍ରେମ କୁମାର (ଓବିସି)ଙ୍କ ନେତୃତ୍ବରେ ଦଳ ପଛୁଆ ଜାତିର ଜନସଂଖ୍ୟାଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିଥିଲା। କିନ୍ତୁ ବିଜେପି ଧୀରେ ଧୀରେ ପୁରୁଖାଙ୍କୁ ବାଦ୍ ଦେଇ ଏବେ ନୂଆ ପିଢ଼ିଙ୍କୁ ସୁଯୋଗ ଦେଉଛି।
The post ବିହାର ପାଇଁ ବିଜେପିର ନୂଆ ରଣନୀତି: ସୁଶୀଲ ମୋଦୀଙ୍କ ପାଇଁ ମହଙ୍ଗା ପଡ଼ିଲା ନୀତୀଶଙ୍କ ସହ ଘନିଷ୍ଠତା! first appeared on Sambad.from ରାଜନୀତି | Sambad https://ift.tt/3hv6uGg
0 Comments