କୋଲ୍‌କାତା: ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ହଟାଇବା ଲାଗି ଶାସକ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବନା ମଞ୍ଜୁରି ସକାଶେ ଯୋଜନା କରୁଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳ ରାଜ୍ୟପାଳଙ୍କୁ ପ୍ରତ୍ୟାହାର କରାଇ ନେବା ଲାଗି ଦାବି କରୁଛି। ଏ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା ମଧ୍ୟ ଚାଲିଛି। ଏ ବିଷୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନ ଆରମ୍ଭ ହେବ।

ସଂସଦୀୟ ବ୍ୟାପାର ଏବଂ ବିଧାନସଭା କାର୍ଯ୍ୟକଳାପରେ ରାଜ୍ୟପାଳ ଧନଖଡ଼ ମାତ୍ରାଧିକ ହସ୍ତକ୍ଷେପ କରୁଛନ୍ତି ବୋଲି ଏହା ପୂର୍ବ‌ରୁ, ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ପାଖରେ ଆପତ୍ତି କରିଥିଲେ।

Image Courtesy of Free Press Journal

ବାଚସ୍ପତି ବାନାର୍ଜୀ ବି ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ବାକ୍ଷର କରି ନ ଥିବା କାରଣରୁ ବିଧାନସଭାରେ ପାରିତ ହୋଇଥିବା ସତ୍ତ୍ବେ କେତେକ ଚିଠା ରାଜ୍ୟପାଳଙ୍କ ନିକଟରେ ପଡ଼ି ରହିଛି। ପଶ୍ଚିମବଙ୍ଗ ସଂସଦୀୟ ଗଣତନ୍ତ୍ର ଇତିହାସରେ ଏହା ଅଭୂତପୂର୍ବ ଘଟଣା। ପୂର୍ବରୁ ଏଭଳି ଘଟଣା ଘଟି ନ ଥିଲା।

ବୁଧବାର ଦିନ ତୃଣମୂଳ କଂଗ୍ରେସ ନେତା ପ୍ରସୁନ ବାନାର୍ଜୀ ମଧ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ରାଜ୍ୟପାଳଙ୍କ କାର୍ଯ୍ୟକଳାପ ଦେଖି ମୋର ମନେହୁଏ ତାଙ୍କୁ ବହିଷ୍କାର କରାଯିବ ଉଚିତ।

ତୃଣମୂଳ କଂଗ୍ରେସ ମଧ୍ୟ ଦାବି କରିଛି ଯେ, ରାଜ୍ୟପାଳ ଧନଖଡ଼ ହେଉଛନ୍ତି ଗୋଟାଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମୁଖପତ୍ର। କିନ୍ତୁ, ପଶ୍ଚିମବଙ୍ଗର ବିଜେପି ଶାଖା ରାଜ୍ୟପାଳଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛି। ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋ‌ଷ ଦାବି କରିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ଅବ୍ୟବସ୍ଥା କଥା ପ୍ରକାଶ କରିଦେଇଥିବାରୁ ଶାସକ ତୃଣମୂଳ କଂଗ୍ରେସ ରାଜ୍ୟପାଳଙ୍କ ଉପରେ ଖପ୍ପା ହୋଇଯାଇଛି।

The post ପଶ୍ଚିମବଙ୍ଗର ରାଜ୍ୟପାଳ ଧନଖଡ଼ଙ୍କୁ ହଟାଇବା ଲାଗି ପ୍ରସ୍ତାବନା ମଞ୍ଜୁରି ସକାଶେ ଯୋଜନା କରୁଛି ତୃଣମୂଳ କଂଗ୍ରେସ first appeared on Sambad.

from ରାଜନୀତି | Sambad https://ift.tt/3h0YA5X