ଭୁବନେଶ୍ବର : ପିପିଲି ନିର୍ବାଚନମଣ୍ଡଳୀର ସହଜପୁର ଗ୍ରାମପଞ୍ଚାୟତରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ଫେରାଦ କରିଛନ୍ତି। ଅଭିଯୋଗ କରିଛନ୍ତି କି, ଶାସକ ବିଜୁ ଜନତା ଦଳକୁ ଉପନିର୍ବାଚନ ହାରିଯିବା ଭୟ ଘାରିଛି। ସେଥିପାଇଁ ଏପରି ବିଜେପି କର୍ମୀ ଓ ନେତାମାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ଓ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ବାଇଁ ଏବଂ ତାଙ୍କ ସହଯୋଗୀମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହାସହିତ ସେହି ଅଞ୍ଚଳ ଛାଡ଼ି ଚାଲିଯିବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ପିପିଲି ଥାନାରେ ଗତକାଲି ଏତଲା ଦିଆଯାଇଥିଲେ ସୁଦ୍ଧା ପୁଲିସ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିନାହିଁ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ବିଧାୟକ ଦଳ ଦାବି କରିଛନ୍ତି।

ଗତକାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ବିଜେଡି ନେତା ତନ୍ମୟ ସ୍ବାଇଁଙ୍କ ଇଙ୍ଗିତରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ଆକ୍ରମଣ କରାଯାଇଛି। ଏ ନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରିବା ପରେ ବି ଶାସକ ଦଳ ଚାପରେ ପୁଲିସ ଚୁପ୍‌ ବସିଛି। ଏ ଘଟଣାରେ ପୁଲିସ ଶାସକ ଦଳ ଇଙ୍ଗିତରେ କାମ କରୁଛି। ରବିବାର ପୁଣି ଥରେ ବିଜେପି ବୁଥ ସଭାପତି ସରୋଜ ସେଠୀଙ୍କୁ କିଛି ବିଜେଡି ଗୁଣ୍ଡା ମାରିଦେବା ପାଇଁ ଧମକ ଦେଇଛନ୍ତି। ସେହିପରି ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ନେଇ ସିଇଓଙ୍କ ପାଖରେ ହୋଇଥିବା ଅଭିଯୋଗକୁ ଶାସକ ଦଳ ପ୍ରଭାବ ପକାଇ ଚାପି ଦେଇଛି। ଜଣେ ସରକାରୀ ମେଡିକାଲ ଅଧିକାରୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ସୋସିଆଲ୍‌ ମିଡିଆରେ ପ୍ରଚାର କରିବା ନେଇ ବିଜେପି ଅଭିଯୋଗ କରିଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ହଜିଯାଇଥିବା କଥା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ବିଜେପି ଆହୁରି କହିଛି ଯେ, ସରୋଜ ସେଠୀ ଜଣେ ଦଳିତ ଲୋକ ହୋଇଥିବାରୁ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଛନ୍ତି। ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ଉପନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ କିପରି କରାଯିବ ସେ ଦିଗରେ ପୁଲିସକୁ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଛି।

ଏହି ପ୍ରତିନିଧି ଦଳରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନାଉରି ନାୟକ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ ଓ ଲିଗାଲ କୋଅର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

ନିଜର ହିଂସ୍ର ଆଚରଣ ଲୁଚାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି
ଭୁବନେଶ୍ବର : ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ମୁଖ୍ୟ ନିର୍ଚାବନ ଅଧିକାରୀ (ସିଇଓ)ଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦୁଛି। ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ସିଇଓଙ୍କୁ ବିଜେପି ବିଧାୟକ ଦଳ ଅଭିଯୋଗ କରିବା ପରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ଏପରି ଜବାବ ଦେଇଛନ୍ତି। ଅଭିଯୋଗ କରିଛନ୍ତି, ଚୋର ମୁହଁ ଟାଣ ନ୍ୟାୟରେ ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବା ପରେ ରାଜ୍ୟ ବିଜେପି ଏବେ ଏ ପ୍ରକାରର ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜନୈତିକ ହିଂସା ଘଟାଇବା ପାଇଁ ବିଜେପି ଅଣ୍ଟା ଭିଡ଼ିଛି। ବିଜେପୁର ଉପନିର୍ବାଚନରେ ନିର୍ବାଚନୀ ହିଂସା ହେଉ କିମ୍ବା ଗତ ସାଧାରଣ ନିର୍ବାଚନ ସମୟରେ ହେଉ, ବିଜେପି ହିଂସାର ରାଜନୀତିକୁ ଆପଣେଇ ଓଡ଼ିଶା ଭଳି ପବିତ୍ର ଓ ଶାନ୍ତିପ୍ରିୟ ରାଜ୍ୟକୁ କଳୁଷିତ କରିବା ପାଇଁ ଚେଷ୍ଟା କରିଆସୁଛି।

ବିଜେପିର ଏଭଳି ହିଂସ୍ର ନିର୍ବାଚନୀ ରାଜନୀତିକୁ ଓଡ଼ିଶାବାସୀ କେବେବି ଗ୍ରହଣ କରିନାହାନ୍ତି। ସେଥିପାଇଁ ବିଗତ ନିର୍ବାଚନଗୁଡ଼ିକରେ ଦଳକୁ ପରାସ୍ତର ବାଟ ଦେଖାଇଛନ୍ତି। ଏଥର ପିପିଲିବାସୀ ମଧ୍ୟ ବିଜେପିର ଏହି ନିର୍ବାଚନୀ ହିଂସାକୁ ଗ୍ରହଣ କରିବେ ନାହିଁ। ଏଭଳି ଆଚରଣ ପାଇଁ ବିଜେପିକୁ ଉଚିତ ଜବାବ ଦେବା ସହିତ ହିଂସାକୁ ପ୍ରଶୟ ଦେଉଥିବା ଏହି ଦଳକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

The post ପିପିଲିରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ କଲେ ବିଜେପି ବିଧାୟକ first appeared on Sambad.

from ରାଜନୀତି | Sambad https://ift.tt/3tbcaIR