
କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବା ବେଳେ ଦିନକୁ ଦିନ ପରିସ୍ଥତି ବିସ୍ଫୋରକ ହେବାରେ ଲାଗିଛି। ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ଏହାର ଉଗ୍ର ରୂପ ଦେଖିବାକୁ ମିଳିଛି। ମତଦାନ ବେଳେ ହିଂସାକାଣ୍ଡ ଘଟିବାରୁ କେନ୍ଦ୍ରୀୟ ଫୋର୍ସର ଗୁଳିମାଡ଼ରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯିବା ସହିତ ଉକ୍ତ ଜିଲ୍ଲାରେ ନେତାମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ଏହାସହିତ ପଞ୍ଚମ ପର୍ଯ୍ୟାୟ ପ୍ରଚାର ସମୟକୁ କମାଇଦେଇଛନ୍ତି।
ମିଳିଥିବା ଖବର ଅନୁଯାୟୀ କୁଚବିହାର ଜିଲ୍ଲାର ସିତଲ୍କୁଚି ଅଞ୍ଚଳରେ ଆଜି ଗୋଟିଏ ବୁଥ୍ରେ ମତଦାନ ଚାଲିଥିବା ବେଳେ କେନ୍ଦ୍ରୀୟ ଫୋର୍ସ ଏବଂ ସ୍ଥାନୀୟ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ନିର୍ବାଚନ କମିସନ୍ ସିତଲକୁଚି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୨୬ରେ ଭୋଟ୍ ସ୍ଥଗିତ ରଖିଛନ୍ତି ଏବଂ ଏହି ଘଟଣାରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କଠାରୁ ଅନ୍ତରୀଣ ରିପୋର୍ଟ ମାଗିଛନ୍ତି। ସମସ୍ତ ୫ ମୃତକ ଟିଏମ୍ସି କର୍ମୀ ବୋଲି ଜଣାପଡ଼ିଛି। ହିଂସାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ନିର୍ବାଚନ କମିସନ କୁଚବିହାର ଜିଲ୍ଲାରେ ତିନି ଦିନ ପାଇଁ ନେତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଚବିହାର ଗସ୍ତ କରିବେ ବୋଲି ଘୋଷଣା କରିଛନ୍ତି ଏବଂ ଟିଏମ୍ସି ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି।
ସିତଲକୁଚି ନିର୍ବାଚନମଣ୍ଡଳୀରେ ବୁଥ୍ ନମ୍ବର ୧୨୬ରେ ଆଜି ପୂର୍ବାହ୍ନ ୯.୩୦ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା। ଜଣେ ଭୋଟର୍ ହଠାତ୍ ବୁଥ୍ ପରିସରରେ ଅଚେତ ହୋଇପଡ଼ିଥିଲେ। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୁଲ୍ ଖବର ପ୍ରସାରିତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଆଇଏସ୍ଏଫ୍ ଯବାନ ମାଡ଼ ମାରିବାରୁ ସେ ଚେତା ହରାଇଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଗୁଜବ ହୋଇଥିଲା। ଏହାପରେ ଶହ ଶହ ଲୋକ ବୁଥ୍ ଘେରାଉ କରିଥିଲେ ଏବଂ ସୁରକ୍ଷାକର୍ମୀଙ୍କଠାରୁ ଅସ୍ତ୍ର ଛଡ଼ାଇ ନେବାକୁ ପ୍ରୟାସ କରିଥିଲେ ବୋଲି କୁହାଯାଉଛି। ସେମାନେ ନିର୍ବାଚନ ଅଧିକାରୀ ଏବଂ ବୁଥ୍ କର୍ମଚାରୀଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ହିଂସା ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ସମସ୍ତ ମୃତକଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ।
ଏହାପୂର୍ବରୁ ପଥନତୁଲି ନିର୍ବାଚନମଣ୍ଡଳୀର ୨୯୫ ନମ୍ବର ବୁଥ୍ରେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସିଥିବା ଜଣେ ୧୮ ବର୍ଷୀୟ ଭୋଟର୍ଙ୍କର ଉପରେ ଗୁଳିମାଡ଼ ହୋଇଥିଲା। ଟିଏମ୍ସି ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ସେ ବଳି ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଂସା ପାଇଁ ମମତାଙ୍କୁ ଦାୟୀ କରିଛନ୍ତି। ମୋଦୀ କହିଛନ୍ତି, ମମତା ନିଜ ଆସନ ସଂଖ୍ୟା ଖସି ଯାଉଥିବା ଦେଖି ହିଂସାକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି ଏବଂ ଅତି ତଳକୁ ଖସି ଯାଇଛନ୍ତି। ଯେଉଁ ଯବାନ ମାଓବାଦୀ ଏବଂ ଆତଙ୍କବାଦୀଙ୍କୁ ଡରି ନାହାନ୍ତି, ସେମାନଙ୍କୁ ‘ଦିଦି’ଙ୍କ ଗୁଣ୍ଡାମାନେ କିଭଳି ଡରାଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କୁଚବିହାର ଗୁଳିକାଣ୍ଡ ଏକ ବଡ଼ ଧରଣର ଷଡ଼ଯନ୍ତ୍ର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଷଡ଼ଯନ୍ତ୍ର ହୋଇଛି ଏବଂ ସେ ହିଁ ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ମମତା କହିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି।
ଇତିମଧ୍ୟରେ ନିର୍ବାଚନ କମିସନ କହିଛନ୍ତି ଯେ ସୁରକ୍ଷା କର୍ମୀମାନେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ।
The post ପଶ୍ଚିମବଙ୍ଗରେ ହିଂସା : ସିଆଇଏସ୍ଏଫ୍ ଗୁଳିରେ ୪ ମୃତ first appeared on Sambad.from ରାଜନୀତି | Sambad https://ift.tt/3mDC0m4
0 Comments