ଭୁବନେଶ୍ବର: ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ଆଜି ରାତି ସାରା ବିରୋଧୀ ଦଳ ନେତା ଓ ବିଜେପିର ସମସ୍ତ ବିଧାୟକ ଧାରଣା ଦେବେ। ଆସନ୍ତାକାଲି ଦିନ ୧୦ଟାରେ ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମସ୍ତ ବିଧାୟକ ସାମ୍ବାଦିକ ସମ୍ମିଳନୀ କରିବେ। ବିରୋଧୀ ଦଳର ବିଧାୟକମାନେ ସୋମବାର ରାଜ୍ୟପାଳଙ୍କୁ ଭେଟି ବିଧେୟକ ପାରିତ ହେବା ସମୟରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ନ ଦିଆଯିବା ପ୍ରସଙ୍ଗ ରଖିବେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡ଼ିବା ଘଟଣାରେ ୩ ଜଣ ବିଧାୟକଙ୍କୁ ନିଲମ୍ବନ ପାଇଁ ଆଦେଶ ହୋଇଛି। ନିଲମ୍ବିତ ହୋଇଛନ୍ତି ବିଧାୟକ ବିଷ୍ଣୁ ସେଠୀ, ଜୟନାରାୟଣ ମିଶ୍ର ଓ ମୋହନ୍‌ ମାଝୀ। ସେମନେଙ୍କୁ ଗୃହରୁ ବାହାରି ଯିବା ଲାଗି ନିର୍ଦ୍ଦେଶ ଦିଆଯିବା ପରେ ସେମାନେ ଓ ବିଜେପିର ଅନ୍ୟ ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସି ଏହି ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି।

ଗୃହରୁ ନିଲମ୍ବିତ ହେବା ପରେ ବିଧାୟକ ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି, ବାଚସ୍ପତି ଯେତେ‌ବେଳେ ସମ୍ବିଧାନ ଅନୁସାରେ କାମ କଲେ ନାହିଁ, ସେତେବେଳେ ଏପରି ପ୍ରତିକ୍ରିୟା ଆସିଥିଲା। ଯଦି ଅତ୍ୟାଚାର, ଅନାଚାର ବିରୋଧରେ ସ୍ବର ଉତ୍ତୋଳନ କଲେ ନିଲମ୍ବନ କରାଯାଏ, ମୁଁ ଏହାକୁ ସ୍ବାଗତ କରୁଛି। କିନ୍ତୁ ମୁୁଁ ଏହି ନିଲମ୍ବନକୁ ଖାତିର କରୁ ନାହିଁ।

ସେହିଭଳି ଗୃହରୁ ନିଲମ୍ବିତ ହେବା ପରେ ବିଧାୟକ‌ ମୋହନ ମାଝୀ କହିଛନ୍ତି ଯେ, ମୁଁ କୌଣସି ଭାବେ ଦୁଃଖୀ ନୁହେଁ। ମୁଁ କୌଣସି ‌ଅନୈତିକ କାମ କରିନାହିଁ, ଯେ ଅନୁତପ୍ତ ହେବି। ବାଚସ୍ପତି ଠିକ୍‌ ଭାବେ ଗୃହ କାର୍ଯ୍ୟ ଚଳାଇ ନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବାଚସ୍ପତି ସମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରୁନାହାନ୍ତି।

The post ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ରାତି ସାରା ଧାରଣା ଦେବେ ବିଜେପିର ସମସ୍ତ ବିଧାୟକ first appeared on Sambad.

from ରାଜନୀତି | Sambad https://ift.tt/3fFwr5k