ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ୍‌ ଦଳୀୟ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ରାଜଧାନୀ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। କିଛିଦିନ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଳେଟରରେ ରଖାଯାଇଥିଲା। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଥିଲା। ଅଜିତ୍‌ ମଙ୍ଗରାଜଙ୍କ ମୃତ୍ୟୁ ଖବର ଶୁୁଣି କଂଗ୍ରେସ ନେତାମାନେ ଆପୋଲୋ ହସ୍‌ପିଟାଲରେ ପହଂଚିଛନ୍ତି। ଅନ୍ୟ ପକ୍ଷରେ ପିପିଲି ଉପନିର୍ବାଚନ ସ୍ଥଗିତ ହେବା ନେଇ ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣଭାବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରାର୍ଥୀଙ୍କର ମୃତ୍ୟୁ ହେଲେ ମତଦାନ ବାତିଲ୍ କରାଯାଇଥାଏ।

ଅଜିତ ମଙ୍ଗରାଜ ଗତ ୮ ତାରିଖ ଦିନ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡେଲାଙ୍ଗ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।  ବେରବୋଇଠାରେ କଂଗ୍ରେସର ପ୍ରଚାର ଚାଲିଥିଲା ଓ ଅଜିତ ଏଥିରେ ଯୋଗ ଦେଇଥିଲେ। ପ୍ରବଳ ଗରମ ଯୋଗୁ ପ୍ରଚାର ବେଳେ ହଠାତ୍‌ ଅଜିତ ଅସୁସ୍ଥ ହୋଇ ପଡ଼ିଥିଲେ। ମୁଣ୍ଡ ବୁଲାଇବା ସହ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଉପସ୍ଥିତ କର୍ମୀମାନେ ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୮ ଘଣ୍ଟାର ଚିକିତ୍ସା ପରେ ଅଜିତ ଘରକୁ ଫେରିଥିଲେ। ଏହାପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।

ଅଖିଳ ଭାରତୀୟ କଂଗ୍ରେସ୍‌ କମିଟି (ଏଆଇସିସି)ର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପିପିଲି ଉପନିର୍ବାଚନ ପାଇଁ ଅଜିତ୍‌ ମଙ୍ଗରାଜ୍‌ଙ୍କ ନାଁରେ ମୋହର୍‌ ମାରିଥିଲେ। ପିପିଲି ଉପନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ (ପିସିସି) ପକ୍ଷରୁ ୩ ଜଣ ଜଣଙ୍କ ନାଁକୁ ସୁପାରିସ କରାଯାଇଥିଲା। ଶେଷରେ ଅଜିତ୍‌ ମଙ୍ଗରାଜ୍‌ଙ୍କୁ ପ୍ରାର୍ଥୀ ଭାବେ କଂଗ୍ରେସ୍‌ ହାଇକମାଣ୍ଡ ସୋନିଆ ଗାନ୍ଧୀ ଚୟନ କରିଥିଲେ। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ୍‌ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ବଦଳରେ ଅଜିତ୍‌ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଥିଲା।

The post ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ first appeared on Sambad.

from ରାଜନୀତି | Sambad https://ift.tt/3mJVW70