
ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗୋଟିଏ ପର୍ଯ୍ୟାୟରେ ଅପ୍ରେଲ ୬ରେ ହେବାକୁ ଥିବାବେଳେ ଆଜି ଏକ ଶକ୍ତ ଧକ୍କା ଲାଗିଛି ଏଆଇଏଡିଏମ୍କେ- ବିଜେପି ମେଣ୍ଟକୁ। ଏହି ମେଣ୍ଟର ଅନ୍ୟତମ ସହଯୋଗୀ ଥିବା ଅଭିନେତା ବିଜୟାକାନ୍ତଙ୍କ ଡିଏମ୍ଡିକେ ଦଳ ଆଜି (ମଙ୍ଗଳବାର) ଏଆଇଏଡିଏମ୍କେ- ବିଜେପି ମେଣ୍ଟରୁ ବିଧିବଦ୍ଧ ଭାବେ ଓହରି ଆସିଥିବା ଘୋଷଣା କରିଛି।
ଏସଂକ୍ରାନ୍ତରେ ଡିଏମ୍ଡିକେ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ପାଇଁ ଏଆଇଏଡିଏମ୍କେ- ବିଜେପି ମେଣ୍ଟର ନେତୃତ୍ୱ ନେଇଥିବା ଏଆଇଏଡିଏମ୍କେ ସହ ତିନିଟି ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ପ୍ରକାରର ସନ୍ତୋଷଜନକ ବୁଝାମଣା ହୋଇପାରି ନଥିଲା। ସେଥିପାଇଁ ଆମେ ବାଧ୍ୟହୋଇ ଏଆଇଏଡିଏମ୍କେ- ବିଜେପି ମେଣ୍ଟକୁ ଛାଡ଼ିଲୁ ବୋଲି ଦଳ ପକ୍ଷରୁ କୁହାଯାଇଛି।
ତେବେ, ଜାଣିବାକୁ ମିଳିଛି ଯେ ଆସନ ବୁଝାମଣା ଓ ଭାଗବଣ୍ଟା ପାଇଁ ହୋଇଥିବା ଆଲୋଚନା ବେଳେ ଡିଏମ୍ଡିକେ ନିଜ ପାଇଁ ୪୧ଟି ଆସନ ଦାବି କରିଥିଲା। ହେଲେ, ମେଣ୍ଟର ନେତୃତ୍ୱ ନେଇଥିବା ଏଆଇଏଡିଏମ୍କେ ମାତ୍ର ୧୮ଟି ଆସନ ଡିଏମ୍ଡିକେକୁ ଦେବା ପାଇଁ ସହମତ ହୋଇଥିଲା। ପରେ ୨୩ଟି ପାଇଁ ଡିଏମ୍ଡିକେ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏଆଇଏଡିଏମ୍କେ- ବିଜେପି ମେଣ୍ଟ ଏଥିପାଇଁ ମଧ୍ୟ ଅମଙ୍ଗ ହୋଇଥିଲା। ଫଳରେ ଆସନ ଭାଗବଣ୍ଟା ନେଇ ବୁଝାମଣା ବିଫଳ ହେବା ପରେ ଡିଏମ୍ଡିକେ ଆଗାମୀ ନିର୍ବାଚନରେ ଏଆଇଏଡିଏମ୍କେ- ବିଜେପି ମେଣ୍ଟରୁ ଓହରି ଆସିଛି।
ଏଆଇଏଡିଏମ୍କେ- ବିଜେପି ମେଣ୍ଟରୁ ଓହରି ଆସିବା ପରେ ଡିଏମ୍ଡିକେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିନାହିଁ। ଆଗାମୀ ନିର୍ବାଚନ ଡିଏମଡିକେ ଏକାକୀ ଲଢ଼ିବ ନା ଦୀନାକରନଙ୍କ ଟିଟିଭି ସହ ମେଣ୍ଟ କରିବ ନା କମଲ ହାସନଙ୍କ ସହ ମେଣ୍ଟ କରି ଲଢ଼ିବ ତାକୁ କେନ୍ଦ୍ରକରି ସସ୍ପେନ୍ସ ଜାରି ରହିଛି।
The post ଛିଡ଼ିଲାନି ଆସନ ଭାଗବଣ୍ଟା ଏଆଇଏଡିଏମ୍କେ- ବିଜେପି ମେଣ୍ଟ ଛାଡ଼ିଲା ଅଭିନେତା ବିଜୟାକାନ୍ତଙ୍କ ଡିଏମ୍ଡିକେ first appeared on Sambad.
from ରାଜନୀତି – Sambad https://ift.tt/3kVvRRC
0 Comments