
ଚେନ୍ନାଇ: ତାମିଲ୍ନାଡୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କଂଗ୍ରେସ’ ଏବଂ ‘ଡିଏମ୍କେ’କୁ ତୀବ୍ର ସମାଲୋଚନା କରୁଥିବା ବେଳେ ରାଜ୍ୟ ‘ବିଜେପି’ ୟୁନିଟ୍ ବଡ଼ ଭୁଲ୍ଟାଏ କରି ପକାଇଛି। ନିର୍ବାଚନ ପ୍ରଚାର ନିମନ୍ତେ ଉଦ୍ଦିଷ୍ଟ ଏକ ଭିଡିଓରେ ‘ବିଜେପି’ କାର୍ତି ଚିଦମ୍ବରମ୍ଙ୍କ ପତ୍ନୀ ଶ୍ରୀନିଧି ଚିଦମ୍ବରମ୍ଙ୍କର ନୃତ୍ୟ ଦୃଶ୍ୟ ପ୍ରଦର୍ଶନ କରିଛି। ଶ୍ରୀନିଧି ହେଉଛନ୍ତି ଜଣେ ସ୍ୱନାମଧନ୍ୟା ନୃତ୍ୟାଙ୍ଗନା ତଥା ଡାକ୍ତରାଣୀ।
ତାମିଲ୍ନାଡୁର ସଂସ୍କୃତି ଉପରେ ଆଲୋକପାତ କରି ‘ବିଜେପି’ ତା’ର ଇସ୍ତାହାର ଓ ରାଜ୍ୟର ବିକାଶ ନିମନ୍ତେ ରଖିଥିବା ଦୃଷ୍ଟିଭଙ୍ଗୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ଏହି ପ୍ରଚାର ଭିଡିଓରେ ଶ୍ରୀନିଧି ଚିଦମ୍ବରମ୍ଙ୍କ ଭାରତନାଟ୍ୟମ୍ ପ୍ରଦର୍ଶନର ସଂଯୋଜନା କରିଛି।
‘ବିଜେପି’ର ଏଭଳି ନିର୍ବୋଧ ବୋକାମିକୁ ତାମିଲ୍ନାଡୁ କଂଗ୍ରେସ କମିଟି ସମାଲୋଚନା କରି କହିଛି, ଆମେ ଜାଣୁ ‘ସମ୍ମତି’ କ’ଣ ବୁଝିବା ତୁମ ପକ୍ଷେ କଷ୍ଟକର। କିନ୍ତୁ, ଶ୍ରୀମତୀ ଶ୍ରୀନିଧି କାର୍ତି ଚିଦମ୍ବରମ୍ଙ୍କ ବିନା ଅନୁମତିରେ ତୁମେ ତାଙ୍କ ଚିତ୍ର ବ୍ୟବହାର କରି ପାରିବ ନାହିଁ। ତୁମର ପ୍ରଚାର ଅଭିଯାନ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପ୍ରଚାରସର୍ବସ୍ୱ ବୋଲି ତୁମର କାର୍ଯ୍ୟ ପ୍ରମାଣିତ କରିଛି।
ଏହି ତ୍ରୁଟି ଯୋଗୁଁ ଅନେକ ତାମିଲନାଡୁବାସୀ ‘ବିଜେପି’କୁ ‘ଟ୍ରୋଲ୍’ କରିଛନ୍ତି। ଏହାକୁ ‘ହାସ୍ୟାସ୍ପଦ’ କହି ଶ୍ରୀନିଧି ଚିଦମ୍ବରମ୍ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସମ୍ପ୍ରତି ‘ବିଜେପି’ ତାମିଲ୍ନାଡୁର ଟୁଇଟର୍ ପେଜ୍ରୁ ଏହି ଭିଡିଓଟିକୁ ହଟାଇ ଦିଆଯାଇଛି।
The post ନିର୍ବାଚନୀ ପ୍ରଚାର ଭିଡିଓରେ କାର୍ତି ଚିଦମ୍ବରମ୍ଙ୍କ ପତ୍ନୀଙ୍କ ନୃତ୍ୟ ଦୃଶ୍ୟ ପ୍ରଦର୍ଶନ କରି ସମାଲୋଚିତ ହେଲା ତାମିଲନାଡୁ ‘ବିଜେପି’ first appeared on Sambad.from ରାଜନୀତି | Sambad https://ift.tt/3rDHnm8
0 Comments