
କୋଲକାତା: ପଶ୍ଚିମବଙ୍ଗର ଦେବ୍ରା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ଦୁଇ ପୂର୍ବତନ ଆଇପିଏସ୍ ଅଫିସରଙ୍କ ମଧ୍ୟରେ ଭୋଟ୍ ଲଢ଼େଇ। କାରଣ ରାଜ୍ୟର ମିଦନାପୁର ଜିଲ୍ଲା ଅନ୍ତର୍ଗତ ଦେବ୍ରାରୁ ତୃଣମୂଳ କଂଗ୍ରେସ ଜଣେ ପୂର୍ବତନ ଆଇପିଏସ୍ ଅଫିସରଙ୍କୁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ବିଜେପି ମଧ୍ୟ ସମାନ ରଣନୀତି ଆପଣାଇଛି। ଏଠାରେ ତୃଣମୂଳ ପକ୍ଷରୁ ଚନ୍ଦନ ନଗରର ପୂର୍ବତନ ପୁଲିସ କମିସନର ହୁମାୟୁନ୍ କବୀରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଆଜି ବିଜେପି ପୂର୍ବତନ ଝାଡ଼ଗ୍ରାମ ପୁଲିସ ମୁଖ୍ୟ ଭାରତୀ ଘୋଷଙ୍କୁ ପ୍ରାର୍ଥୀ କରିଛି।
ଦେବ୍ରା ନିର୍ବାଚନମଣ୍ଡଳୀରେ ପୂର୍ବତନ ଆଇପିଏସ୍ ଅଧିକାରୀ କବୀର ଦଳୀୟ ପ୍ରାର୍ଥୀ ହେବେ ବୋଲି ଟିଏମ୍ସିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ଘୋଷଣା କରିଥିଲେ। କବୀର ଗତ ଜାନୁଆରି ୩୦ ତାରିଖରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବା ପରେ ଫେବ୍ରୁଆରି ମାସ ଆରମ୍ଭରେ ବିଧିବଦ୍ଧ ଭାବେ ଟିଏମ୍ସିରେ ଯୋଗ ଦେଇଥିଲେ। ତୃଣମୂଳରେ ଯୋଗଦେବା ପରେ କବୀରଙ୍କୁ କେନ୍ଦ୍ରକରି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରିରେ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇ କବୀର ଚର୍ଚ୍ଚାରେ ରହିଥିଲେ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ହୁଗଲି ସାଂସଦ ଲକେଟ୍ ଚାଟାର୍ଜୀଙ୍କ ଏକ ରୋଡ୍ ସୋ’ରେ ‘ଦେଶ କେ ଗାଦ୍ଦାରୋ କୋଁ, ଗୋଲି ମାରୋ…’ ସ୍ଲୋଗାନ ଦେଇଥିବାରୁ ସେ ତିନିଜଣ ବିଜେପି କର୍ମୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ପୁଲିସ୍ ସେବାରୁ ଇସ୍ତଫା ଦେଇଥିଲେ।
ସେହିପରି ଏକଦା ମମତା ବାନାର୍ଜୀଙ୍କର ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଆଇପିଏସ୍ ଅଧିକାରୀ ଭାରତୀ ଘୋଷ ଗୋଟିଏ ସାଧାରଣ ସଭାରେ ମମତାଙ୍କୁ ମା’ ବୋଲି କହି ଚର୍ଚ୍ଚାକୁ ଆସିଥିଲେ। ତେବେ ସେ ଚାକିରିରୁ ଇଚ୍ଛାଧୀନ ଅବସର ନେଇ ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
The post ତୃଣମୂଳ ବନାମ୍ ବିଜେପି: ପଶ୍ଚିମବଙ୍ଗର ଦେବ୍ରାରେ ହେବ ଦୁଇ ପୂର୍ବତନ ଆଇପିଏସ୍ ଅଫିସରଙ୍କ ମଧ୍ୟରେ ବଳ କଷାକଷି first appeared on Sambad.
from ରାଜନୀତି – Sambad https://ift.tt/3edR3AO
0 Comments