
କୋଲ୍କାତା: ନିର୍ବାଚନ-ମୁହାଁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ମଙ୍ଗଳବାର ରାତିରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ଏବଂ ବୋମା ଆକ୍ରମଣରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।
ମୃତବ୍ୟକ୍ତିଙ୍କ ନାଁ ହେଉଛି ସୌଭିକ ଦଳାଇ। ଆହତମାନଙ୍କୁ ମିଦନାପୁର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ନାରାୟଣଗଡ଼ ଥାନା ଅଧୀନ ମକ୍ରମ୍ପୁର ଅଞ୍ଚଳରେ ରାସ୍ତାକଡ଼ରେ ବସିଥିବା ଏହି ଚାରିଜଣ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ବାଇକ୍ ଆରୋହୀ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ପଳାଇଯିବା ପୂର୍ବରୁ ସେମାନେ ତାଙ୍କ ଉପରକୁ ବୋମା ନିକ୍ଷେପ କରିବା ସହ ୨୪ ବର୍ଷିୟ ଦଳାଇଙ୍କୁ ଗୁଳି ମାରିଥିଲେ।
ଏହି ଆକ୍ରମଣରେ ବିଜେପି ସମ୍ପୃକ୍ତ ବୋଲି ସ୍ଥାନୀୟ ତୃଣମୂଳ କଂଗ୍ରେସର ନେତାମାନେ ଅଭିଯୋଗ କରୁଥିବା ବେଳେ ଗୈରିକ ଦଳର ଜିଲ୍ଲା ଅଧ୍ୟକ୍ଷ ସମିତ ଦାସ ଦାବି କରିଛନ୍ତି, ଏହା ତୃଣମୂଳ କଂଗ୍ରେସର ଅଭ୍ୟନ୍ତରୀଣ ବିବାଦର ପରିଣତି।
ତୃଣମୂଳ ଜିଲ୍ଲା ଅଧ୍ୟକ୍ଷ ଅଜିତ ମାଇତି କହିଛନ୍ତି, ବିଗତ ନିର୍ବାଚନରେ ଆମ ସେ ଅଞ୍ଚଳରେ ଭଲ ଭୋଟ୍ ପାଇଥିଲୁ। ବିଧାନସଭା ନିର୍ବାଚନ ପୂର୍ବରୁ ଆମକୁ ବାଧା ଦେବା ଲାଗି ଏହି ଆକ୍ରମଣ ଯୋଜନା କରାଯାଇଥିଲା। ଏହା ବିଜେପିର କାଣ୍ଡ। ଦୁର୍ବୃତ୍ତମାନଙ୍କୁ ଅବିଳମ୍ବେ ଗିରଫ କରିବା ଲାଗି ଆମେ ପୁଲିସକୁ ଅନୁରୋଧ କରିଛୁ।
The post ନିର୍ବାଚନ-ମୁହାଁ ବଙ୍ଗରେ ଗୁଳି ମାରି ‘ଟିଏମ୍ସି’ କର୍ମୀଙ୍କୁ ହତ୍ୟା, ବୋମା ଆକ୍ରମଣରେ ୩ ଆହତ first appeared on Sambad.
from ରାଜନୀତି – Sambad https://ift.tt/3dKCK6D
0 Comments