କୋଲକାତା: ଆଗାମୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ନନ୍ଦୀଗ୍ରାମ ଆସନରୁ ଲଢ଼ିବେ ବୋଲି ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଶୁୁଭେନ୍ଦୁ ଅଧିକାରୀ ବୁଧବାର ଏକ ନୂତନ ଚାଲେଞ୍ଜ ଦେଇଛନ୍ତି ମମତାଙ୍କୁ।

ହୁଗଲିରେ ଆଜି ଶ୍ରୀ ଅଧିକାରୀ ଭାଷଣ ଦେଇ କହିଛନ୍ତି ଯେ ଯିଏ ବି ବିଜେପି ଟିକେଟ୍‌ରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ତାଙ୍କ ପାଇଁ ବିଜୟ ସୁନିଶ୍ଚିତ କରିବା ଦାୟିତ୍ୱ ହେଉଛି ମୋର।
ଦିଦି (ମମତା ବାନାର୍ଜୀ) ୬୨,୦୦୦ ଭୋଟ୍‌ ଉପରେ ନିର୍ଭର କରି ସେଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। କିନ୍ତୁ, ମୋର ୨.୧୩ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ‘ଜୟ ଶ୍ରୀ ରାମ’ ଜପ କରୁଛନ୍ତି ବୋଲି ଅଧିକାରୀ କହିଛନ୍ତି। ମୁଁ ଯଦି ନନ୍ଦୀଗ୍ରାମରୁ ମମତାଙ୍କ ବିପକ୍ଷରେ ଲଢ଼େ ତେବେ ଅତିକମ୍‌ରେ ୬୦,୦୦୦ରୁ ଅଧିକ ଭୋଟରେ ନିଶ୍ଚିତ ଜିତିବି। ଶ୍ରୀ ଅଧିକାରୀ କହିଛନ୍ତି ଯେ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକଙ୍କୁ ନେଇ ଟିଏମସି ଏବେ ଦୁଇ ଜଣଙ୍କ ଦ୍ୱାରା ପରିଚାଳିତ ଏକ ଘରୋଇ ସୀମିତ କମ୍ପାନୀ ପରି ଯାହାକୁ ପଶ୍ଚିମବଙ୍ଗ ବାସୀ ପସନ୍ଦ କରୁ ନାହାନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ନନ୍ଦିଗ୍ରାମରୁ ଟିଏମ୍‌ସିର ବିଧାୟକ ତଥା ମମତାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ଟିଏମ୍‌ସିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବାପରେ ଗତ ୧୮ ତାରିଖରେ ମମତା ବାନାର୍ଜୀ ଘୋଷଣା କରି କହିଥିଲେ ଯେ ଆଗାମୀ ନିର୍ବାଚନ ସେ ନନ୍ଦିଗ୍ରାମ ଆସନରୁ ଲଢ଼ିବେ।

The post ନନ୍ଦୀଗ୍ରାମକୁ ନେଇ ପୁଣି ମମତାଙ୍କୁ ନୂଆ ଚାଲେଞ୍ଜ ଦେଲେ ବିଜେପି ନେତା ଶୁୁଭେନ୍ଦୁ ଅଧିକାରୀ first appeared on Sambad.



from ରାଜନୀତି – Sambad https://ift.tt/3bVrDa1