କୋଲକାତା: ପଶ୍ଚିମବଂଗ ରାଜନୀତିରେ ଏବେ ଦୁଇ ଟାଣୁଆ ନେତା ମୁହାଁମୁହିଁ ସ୍ଥିତିକୁ ଆସିଯିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଚ୍ୟାଲେଂଜକୁ ଗ୍ରହଣ କରିଛନ୍ତି। ଶୁଭେନ୍ଦୁଙ୍କ ଗଡ଼ ନନ୍ଦୀଗ୍ରାମରେ ମେଗା ରୢାଲି କରି ମମତା ଶୁଭେନ୍ଦୁଙ୍କୁ ଚ୍ୟାଲେଂଜ କରିଥିବା ବେଳେ ମମତାଙ୍କ ଗଡ଼ ଦକ୍ଷିଣ କୋଲକାତାରେ ଶୁଭେନ୍ଦୁ ରୋଡ଼ ସୋ’ କରି ଏହି ଚ୍ୟାଲେଂଜ୍‌କୁ ଗ୍ରହଣ କରିଛନ୍ତି। ‘ନନ୍ଦୀଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍‌ରେ ହରାଇବି, ନହେଲେ ରାଜନୀତି ଛାଡ଼ିଦେବି’ ବୋଲି ଶୁଭେନ୍ଦୁ କହିଛନ୍ତି। ସେ କହିଛନ୍ତି, ନନ୍ଦୀଗ୍ରାମ ମମତାଙ୍କୁ ରାଜନୀତିରେ ପରିଚୟ ଦେଇଥିଲେ ମଧ୍ୟ ସେ ଏହି ଅଂଚଳ ପାଇଁ କିଛି କରିନାହାନ୍ତି।

ଦକ୍ଷିଣ କୋଲକାତାରେ ଆଜି ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ଟାଲିଗଞ୍ଜ ଟ୍ରାମ୍‌ ଡିପୋରୁ ରାସବିହାରୀ ମୋଡ଼ ପର୍ଯ୍ୟନ୍ତ ରୋଡ ସୋ’ କରାଯାଉଥିଲା। ଶୋଭାଯାତ୍ରା ଯାଉଥିବା ବେଳେ ମୁଦିଆଳି ନିକଟରେ ତୃଣମୂଳ ସମର୍ଥକମାନେ ଟେକାପଥର ମାଡ଼ କରିଥିଲେ। ଏହାପରେ ଉତ୍ତେଜିତ କର୍ମୀ ଏବଂ ତୃଣମୂଳ ସମର୍ଥକଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଏଥିରେ ‌ଅନେକ ଆହତ ହୋଇଛନ୍ତି ଏବଂ ପୁଲିସ ଏହି ହିଂସାର ତଦନ୍ତ ଆରମ୍ଭ କରିଛି। ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟି ଚାଳନା କରିଛନ୍ତି। ଦଳତ୍ୟାଗୀ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ନନ୍ଦୀଗ୍ରାମରେ ଆଜି ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ନିଜ ପାରମ୍ପରିକ ଭବାନୀପୁର ଆସନ ସହିତ ନନ୍ଦୀଗ୍ରାମ ବିଧାନସଭା ଆସନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କରିଛନ୍ତି।

The post ମମତାଙ୍କୁ ଶୁଭେନ୍ଦୁଙ୍କ ଚ୍ୟାଲେଞ୍ଜ: ହରାଇବି, ନଚେତ୍‌ ରାଜନୀତି ଛାଡ଼ିଦେବି first appeared on Sambad.



from ରାଜନୀତି – Sambad https://ift.tt/3sE2IO8