ଭୁବନେଶ୍ୱର : ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇ କହିଛନ୍ତି, ଉଭୟ ଜିଲ୍ଲା ପ୍ରଶାସନ ମତଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିଲେ। ପାଗ ଅନୁକୂଳ ଥିବାରୁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା।

ସନ୍ଧ୍ୟା ସୁଦ୍ଧା ବାଲେଶ୍ବର ନିର୍ବାଚନ ମଣ୍ଡଳିରେ ୭୧% ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳିରେ ୬୯.୯୯% ମତଦାନ ହୋଇଛି। ଉଭୟ ନିର୍ବାଚନ ମଣ୍ଡଳିରେ ମକ୍‌ ପୋଲ ବେଳେ ୨ ଗୋଟି ବାଲାଟ୍‌ ୟୁନିଟ୍‌, ୨ଟି କଣ୍ଟ୍ରୋଲ ୟୁନିଟ ଓ ୧୫ଟି ଭିଭିପ୍ୟାଟ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତତ୍‌କ୍ଷଣାତ୍‌ ଏହାକୁ ଇସିଆଇର ଯନ୍ତ୍ରୀମାନେ ଠିକ୍‌ କରିଥିଲେ। ସେହିପରି ଭୋଟ ଗ୍ରହଣ ସମୟରେ ଭିନ୍ନ ଭିନ୍ନ ବୁଥରେ ୨ଟି ବାଲାଟ୍‌ ୟୁନିଟ୍‌, ୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୭ଟି ଭିଭିପ୍ୟାଟ୍‌ରେ ତ୍ରୁଟି ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଇଞ୍ଜିନିୟରଙ୍କ ଦ୍ବାରା ତତ୍‌କ୍ଷଣାତ୍‌ ସଜଡ଼ା ଯାଇ କାର୍ଯ୍ୟକ୍ଷମ କରାଯାଇଥିଲା।

ଭୋଟ ଗ୍ରହଣ ସମୟରେ ଉଭୟ ନିର୍ବାଚନ ମଣ୍ଡଳିରେ କୌଣସି ପ୍ରକାରର ଗଣ୍ଡଗୋଳ ଦେଖା ଦେଇନଥିଲା। ଦୁଇଟି ଯାକ ନିର୍ବାଚନ ମଣ୍ଡଳିର ସମସ୍ତ ବୁଥଗୁଡ଼ିକରେ କୋଭିଡ ମୁକ୍ତ ନିର୍ବାଚନ କରାଇବା ନିମନ୍ତେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲା ପ୍ରଶାସନ ଦ୍ବାରା ସମସ୍ତ ପ୍ରକାର ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଆସନ୍ତାକାଲି ଚୂଡ଼ାନ୍ତ ମତଦାନ ହାର ଜଣାପଡ଼ିବ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

The post ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳା ସହ ଶେଷ ହେଲା ଭୋଟ ଗ୍ରହଣ: ସିଇଓ first appeared on Sambad.



from ରାଜନୀତି – Sambad https://ift.tt/3eqwwHe