
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) କହିଛନ୍ତି ଯେ ‘ଭ୍ରଷ୍ଟାଚାରର ବଂଶବାଦ’ (ଡାଇନାଷ୍ଟିକ୍ କରପସନ୍) ସଂପ୍ରତି ଦେଶ ପାଇଁ ଏକ ପ୍ରମୁଖ ଆହ୍ଵାନ ପାଲଟିଛି। ଏବଂ ଦେଶର ଅନେକ ରାଜ୍ୟରେ ଏହା ରାଜନୈତିକ ପରମ୍ପରାର ଏକ ଅଂଶ ବିଶେଷ ହୋଇପଡ଼ିଛି।
ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଦୁର୍ନୀତି ଗୋଟିଏ ପିଢ଼ିରୁ ଆଉ ପିଢ଼ିକୁ ବ୍ୟାପି ବ୍ୟାପି ପୂରା ଦେଶକୁ ଏବେ ଖୋଳ କରି ପକାଇଛି। ଆଜି ମୁଁ ଆପଣଙ୍କ ଆଗରେ ଆଉ ଏକ ବଡ଼ ଆହ୍ଵାନ ବିଷୟରେ କହିବାକୁ ଯାଉଛି। ଗତ ଦଶନ୍ଧି ମଧ୍ୟରେ ଏହି ଆହ୍ଵାନ ବା ଚ୍ୟାଲେଞ୍ଜ ଧୀରେ ଧୀରେ ବଢ଼ିିବାରେ ଲାଗିଛି ଏବଂ ଦେଶରେ ଏକ ନିର୍ଦ୍ଦିଷ୍ଟ ରୂପ ନେଇ ସାରିଲାଣି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ହେଉଛି ‘ଭ୍ରଷ୍ଟାଚାରର ବଂଶବାଦ’। ଯାହା ପିଢ଼ି ପରେ ପଢ଼ି ଧରି ଆଗକୁ ଆଗକୁ ବଢ଼ି ବଢ଼ି ଚାଲିଛି। ସେ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଏହା ଦେଖାଯାଇଛି ଯେ ଦୁର୍ନୀତି ସହ ଜଡିତ ଏକ ପିଢ଼ି ଯେତେବେଳେ ଦଣ୍ଡରୁ ବଞ୍ଚିତ ହୁଅନ୍ତି, ସେତେବେଳେ ପରବର୍ତ୍ତୀ ପିଢ଼ି ଏପରି କାର୍ଯ୍ୟ କରିବାରେ ଅଧିକ ଚତୁରତା ଓ ପାରଦର୍ଶିତା ଦେଖାନ୍ତି। ଯେତେବେଳେ ଦୁର୍ନୀତି ଉପାୟରେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ସହ କୌଣସି ଘଟଣା ଘଟି ନଥାଏ, ସେତେବେଳେ ତାଙ୍କର ଆତ୍ମବିଶ୍ୱାସ ଆହୁରି ବଢ଼ିିଥାଏ।
ତେଣୁ, ଏଥିରେ ରୋକ୍ ଲଗାଇବାର ସମୟ ଆସି ଯାଇଛି। ଏଥିପାଇଁ ବ୍ୟବସ୍ଥିତ ଯାଞ୍ଚ, ପ୍ରଭାବଶାଳୀ ଅଡିଟ୍, ଦକ୍ଷତା ବୃଦ୍ଧି ଏବଂ ଦୁର୍ନୀତି ବିରୋଧରେ ତାଲିମ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଦୁର୍ନୀତି ବିରୋଧରେ ଲଢ଼ିବା କୌଣସି ଏକକ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ କାମ ନୁହେଁ; ବରଂ ଏହା ଏକ ସାମୂହିକ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସଚେତନତା ଏବଂ ଦୁର୍ନୀତି ବିରୋଧୀ ଏକ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି। ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟିତ ହୋଇଥିବା ଏହି ତିନି ଦିନିଆ ସମ୍ମିଳନୀ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଆୟୋଜିତ ହେଉଛି।
The post ‘ଭ୍ରଷ୍ଟାଚାରର ବଂଶବାଦ’ ଏବେ ସାଜିଛି ଦେଶ ପାଇଁ ନୂଆ ସମସ୍ୟା; ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.
from ରାଜନୀତି – Sambad https://ift.tt/2TuObEo
0 Comments