ପାଟନା: ବିହାର ରାଜ୍ୟରେ ସରକାର ଗଠନ ହେବା ସଙ୍ଗେ ସଙ୍ଗେ କୃଷକମାନଙ୍କ କୃଷିଋଣ ଛାଡ଼ କରିବା ଏବଂ ୧୦ ଲକ୍ଷ ବେକାର ଜନତାଙ୍କୁ କର୍ମସଂସ୍ଥାନ ଯୋଗାଇବା ନିମନ୍ତେ ପ୍ରତିଶ୍ରୁତି ଦେଇ ‘ଆର୍‌ଜେଡି’ ନେତୃତ୍ବାଧୀନ ‘ମହାଗଠବନ୍ଧନ’ ଶନିବାର ଦିନ ତା’ର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ‘ଆର୍‌ଜେଡି’ର ତେଜସ୍ବୀ ଯାଦବ, ଭାରତୀୟ ଜାତୀୟ କଂଗ୍ରେସର ରଣଦୀପ ସିଂହ ସୁର୍ଯେୱାଲା ଏବଂ ଅନ୍ୟମାନଙ୍କ ସମେତ ‘ମହାଗଠବନ୍ଧନ’ର ନେତାମାନେ  ‘ପ୍ରାଣ୍‌ ହମାରା’ ନାମକ ଏହି ଇସ୍ତାହାର ଉନ୍ମୋଚନ କରି ନୀତିଶ କୁମାରଙ୍କ ଭଳି ଜଣେ ‘କ୍ଳାନ୍ତ ମୁଖ୍ୟମନ୍ତ୍ରୀ’ଙ୍କ ନେତୃତ୍ବାଧୀନ ‘ଏନ୍‌ଡିଏ’ର ବିଫଳ ସରକାରର ମୂଳୋତ୍ପାଟନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି ।

ନୀତିଶ କୁମାରଙ୍କ ମହତ୍ତ୍ବକାଙ୍‌କ୍ଷୀ ଯୋଜନା ସଂକ୍ରାନ୍ତରେ ପ୍ରଶ୍ନ କରି ତେଜସ୍ବୀ ଯାଦବ କହିଲେ, ନୀତିଶ କୁମାରଙ୍କ ‘ଜଲ୍‌-ଜୀବନ-ହରିୟାଲି ମିସନ୍‌’ ନିମିତ୍ତ ୨୪୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ପାଣ୍ଠି ଗଲା କୁଆଡ଼େ ଗଲା? ଏହା ଜନତାଙ୍କ ଅର୍ଥ ଲୁଟ୍‌ କରିବାର ସୁପରିକଳ୍ପିତ ଯୋଜନା ଛଡ଼ା କିଛି ନୁହେଁ। ଏହା ବ୍ୟତିରେକେ, ଭାଗଲପୁର ସୃଜନ ଦୁର୍ନୀତି ସମେତ ନୀତିଶ କୁମାରଙ୍କ ସରକାର ଅମଳରେ ପ୍ରାୟ ୬୦ଟି ଦୁର୍ନୀତି ହୋଇଥିବା କଥା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବେକାରୀ ଓ ଦାରିଦ୍ର୍ୟ ପ୍ରସଙ୍ଗ ଛାଡ଼ି ‘ଏନ୍‌ଡିଏ’ କେବଳ ‘ଆର୍‌ଜେଡି’ ଏବଂ ‘ଲାଲୁ ପ୍ରସାଦ’ଙ୍କ ବିରୋଧରେ ଅଭିଯୋଗ ଆଣୁଛି।

Image Courtesy of The New Indian Express

କୃଷକ ସମ୍ପ୍ରଦାୟଙ୍କ ଠାରୁ ବିପୁଳ ଭୋଟ୍‌ ପାଇବାକୁ ଆଶା କରି ‘ମହାଗଠବନ୍ଧନ’ ସରକାର କୃଷକମାନଙ୍କ କୃଷିଋଣ ଛାଡ଼ ଓ ୧୦ ଲକ୍ଷ ବେକାର ଜନତାଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ତେଜସ୍ବୀ ଯାଦବ ଘୋଷଣା କରିଛନ୍ତି। ଶିକ୍ଷାର୍ଥୀମାନଙ୍କୁ ଖୁସି କରାଇବାକୁ ମଧ୍ୟ ସେ ଉଦ୍ୟମ କରିଛନ୍ତି। ସରକାରୀ ଚାକିରି ନିମନ୍ତେ ଆବେଦନ କରିବା ବେଳେ ଲାଗୁଥିବା ଫିସ୍‌ ଛାଡ଼ କରିବାକୁ ସେ ଶିକ୍ଷାର୍ଥୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା, ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଶିକ୍ଷାର୍ଥୀମାନଙ୍କ ଗସ୍ତ ବାବଦ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।

ସେହିଭଳି, ନୀତିଶ କୁମାର ସରକାରଙ୍କ ସହ ବିବାଦ କରୁଥିବା ୪. ୫ ଲକ୍ଷରୁ ଊର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସମାନ ଦରମା ଦେବା ନିମନ୍ତେ ଏହି ଇସ୍ତାହାରରେ ଘୋଷଣା କରାଯାଇଛି।

The post କୃଷକମାନଙ୍କ ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇ ମିଳିତ ଇସ୍ତାହାର ପ୍ରକାଶ କଲା ଆ‌ର୍‌ଜେଡି ନେତୃତ୍ବାଧୀନ ‘ମହାଗଠବନ୍ଧନ’ first appeared on Sambad.



from ରାଜନୀତି – Sambad https://ift.tt/31gOvKY