
ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବୋଲି ବିଜେପି ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ବାଲେଶ୍ୱର ଉପନିର୍ବାଚନରେ ଭୋଟ ପାଇବା ଲକ୍ଷ୍ୟ ନେଇ ବିଜେଡି ସରକାରୀ କଳ ଲଗାଇ ରାସ୍ତା କାମ ଏବଂ ନଳକୂପ ଖନନ ଆଦି କାର୍ଯ୍ୟ ଚାଲୁ ରଖିଛି।
ଶ୍ରୀରାମପୁର ଗ୍ରାମପଞ୍ଚାୟତର ମତଦାତାଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ଏକ ନୂଆ ବିଦ୍ୟୁତ ଟ୍ରାନ୍ସଫର୍ମର୍ ଲଗାଯାଇଛି। ମାଛଡିହ, ନିମା, ଖିରାମ, ସତାର, ପୁରନ, ଗୁଣ୍ଡୁରିପଡା, ଖଦି କପଡା, ଗରାଡିହ ଓ ଶ୍ରୀରାମପୁର ଗ୍ରାମରେ ରାସ୍ତା କାମ କରିବା ପାଇଁ ମୋରମ ପକାଯାଇଛି। ଦୁଇ ଦିନ ତଳେ ନେସ୍କୋ ଦ୍ୱାରା ନୂଆ ଟ୍ରାନ୍ସଫର୍ମର ଲଗାଇ ଶ୍ରୀରାମପୁର ପଞ୍ଚାୟତକୁ ବିଦ୍ୟୁତ ସଂଯୋଗ କରାଯାଇଛି। ବାଲେଶ୍ୱର ନେସ୍କୋ ଜୋନ୍ରେ ବିଦ୍ୟୁତ କର୍ମଚାରୀ ମହାସଂଘ(ବିଜୁ ଶ୍ରମିକ ସାମୁଖ୍ୟ ଦ୍ବାରା ସ୍ୱୀକୃତିପ୍ରାପ୍ତ)ର ଏକ ଅଫିସ ଶାଖା ଗତ ୧୭ ତାରିଖ ଦିନ ଉଦ୍ଘାଟନ କରାଯାଇଛି। ଏହି ସମସ୍ତ କାର୍ଯ୍ୟ କରି ଶାସକ ବିଜେଡି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହି ଘଟଣାରେ ସିଇଓ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି। ଏହି ସମସ୍ତ କାର୍ଯ୍ୟର ଫଟୋ ଓ ଭିଡିଓ ମଧ୍ୟ ସିଇଓଙ୍କୁ ପ୍ରଦାନ କରାଯାଇଥିଲା। ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ମୁଖପାତ୍ର ଯତୀନ ମହାନ୍ତି ଏବଂ ଲିଗାଲ୍ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।
The post ବାଲେଶ୍ୱରରେ ବିଜେଡି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛି: ବିଜେପି first appeared on Sambad.
from ରାଜନୀତି – Sambad https://ift.tt/3jnzZHO
0 Comments