
ବାଲେଶ୍ୱର : ଉପନିର୍ବାଚନ ପାଇଁ ବାଲେଶ୍ୱରରେ ରାଜନୈତିକ ପାଣିପାଗ ସରଗରମ ରହିଥିବାବେଳେ ଏଥିରେ ଭଟ୍ଟା ପକାଇଛି ଶାରଦୀୟ ପୂଜା। ଆଜି ସପ୍ତମୀରୁ ସବୁ ପୂଜାମଣ୍ଡପ ଚଳଚଞ୍ଚଳ ହୋଇଉଠିଛି। ଗାଁଠୁ ସହର ଯାଏ ସମସ୍ତେ ପୂଜାରେ ବ୍ୟସ୍ତ। ଫଳରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ମଇଦାନ କମ୍ପାଉଥିବା ଷ୍ଟାର ପ୍ରଚାରକ, ନେତା ଓ ମନ୍ତ୍ରୀମାନଙ୍କୁ ଟିକେ ଫୁରସତ ମିଳିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂଜାଛୁଟି କାଟିବାକୁ ୨/୩ ଦିନ ନିଜ ଅଞ୍ଚଳକୁ ଫେରି ଯାଇଛନ୍ତି। ଯାହାର ପ୍ରଭାବ ଶୁକ୍ରବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା।
ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟରେ ଦୁର୍ଗାପୂଜା ସବୁଠୁ ବଡ଼ପର୍ବ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଶାରଦୀୟ ପାର୍ବଣକୁ ବେଶ ଧୁମ୍ଧାମରେ ପାଳନ କରାଯାଇଥାଏ। ଜାତି, ଧର୍ମ, ଦଳମତ ନିର୍ବିଶେଷରେ ସମସ୍ତେ ଏହି ପର୍ବରେ ସାମିଲ ହୋଇଥାନ୍ତି। ଯଦିଓ କୋଭିଡ୍ କଟକଣା ଯୋଗୁଁ ଏଥର ନିରାଡ଼ମ୍ବର ଭାବେ ପୂଜାକାର୍ଯ୍ୟ ସମ୍ପନ୍ନ ହେଉଛି, କିନ୍ତୁ ପାର୍ବଣର ଉତ୍ସାହ ଉଦ୍ଦୀପନାକୁ ନେଇ ଲୋକଙ୍କର ଆଗ୍ରହ ପୂର୍ବବତ ଅକ୍ଷୁଣ୍ଣ ରହିଛି। କିଛି କମିନାହିଁ। ତେବେ ନିର୍ବାଚନ ପ୍ରଚାରକୁ ଏହା ଫିକା କରିଦେଇଛି। ଗତ ସପ୍ତାହେ ହେଲା ବିଜେଡିର ଏକାଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ଜୋନ୍ରେ ଡେରା ପକାଇଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସଭାସମିତି କରି ଦିନରାତି ଏକ କରି ଦେଇଥିଲେ। ତେବେ ଆଜି ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତାଙ୍କୁ ମଇଦାନରେ ଦେଖିବାକୁ ମିଳିନଥିଲା। ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଭଳି କିଛି ନେତାଙ୍କୁ ବାଦ ଦେଲେ ଅନ୍ୟମାନେ ଘରକୁ ପଳାଇଥିବା ଜଣାପଡ଼ିଛି।
ଶୁକ୍ରବାର ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ସ୍ଥାନୀୟ ଅଞ୍ଚଳରେ ଥିବା ନିଜ ସମର୍ଥକ ଓ ଦଳୀୟ ନେତାଙ୍କୁ ନେଇ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ। ସେହିପରି ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ଷ୍ଟାର ପ୍ରଚାରକ ଏଠାରେ ଜମା ହୋଇଥିବା ବେଳେ ଆଜି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ପାଇଁ କେବଳ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସ୍ଥାନୀୟ ନେତା ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି କଂଗ୍ରେସର ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ ବାଲେଶ୍ୱର ଆସି ଦଳୀୟ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ ଆଜି ତାଙ୍କ ସହ କୌଣସି ରାଜ୍ୟନେତା କିମ୍ବା ଷ୍ଟାର ପ୍ରଚାରକ ନଥିଲେ। ନଗର କଂଗ୍ରେସ କମିଟିର ସଦସ୍ୟମାନଙ୍କ ସହ ଶ୍ରୀମତୀ କୁଣ୍ଡୁ ପୌରାଞ୍ଚଳର କିଛି ୱାର୍ଡ ଓ ବିଭିନ୍ନ ଦୁର୍ଗାମଣ୍ଡପ ବୁଲି ଲୋକଙ୍କୁ ଭେଟିଥିଲେ। ଏପରିକି ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଏଠାରେ ଡେରା ପକାଇଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗତକାଲିଠାରୁ ନିଜ ଘରକୁ ପଳାଇଛନ୍ତି। ସମସ୍ତେ ୨/୩ ଦିନ ପୂଜାଛୁଟି କାଟିସାରିବା ପରେ ପୁଣି ବାଲେଶ୍ୱର ଆସି ପ୍ରଚାର ମଇଦାନକୁ ଚଳଚଞ୍ଚଳ କରିବେ ବୋଲି ସୂଚନା ମିଳିଛି।
The post ବାଲେଶ୍ୱର : ପୂଜା ଛୁଟିରେ ଗଲେ ନେତା, ପ୍ରଚାର ମଇଦାନ ଖାଁ ଖାଁ first appeared on Sambad.
from ରାଜନୀତି – Sambad https://ift.tt/37ABD6v
0 Comments