ନୂଆଦିଲ୍ଲୀ : ଚଳିତ ବିହାର ବିଧାନସଭା ନିର୍ବାଚନରେ ୨ ଜଣ ଟାଣୁଆ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ରାମ ବିଳାସ ପାଶ୍ବାନ ଅନୁପସ୍ଥିତ ରହିବେ। ତେବେ ସେମାନଙ୍କ ଅନୁପସ୍ଥିତିରେ କ’ଣ ସେମାନଙ୍କ ପୁଅ ଦଳର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳି ପାରିବେ? ରାଜନୈତିକ ଅଭିଜ୍ଞତା କମ୍‌ ଥାଇ ଜଣେ ପୂରା ଦୃଢ଼ ପ୍ରତିଜ୍ଞ ଥିବାବେଳେ ଅନ୍ୟ ଜଣେ ବ୍ରାଣ୍ଡ୍‌ ନ୍ୟୁ ଅବତାରରେ ଭୋଟରମାନଙ୍କୁ ଲୋଭାନ୍ବିତ କରିବାକୁ ଚେଷ୍ଟା କରୁଛନ୍ତି। ଉଭୟ ଯୁବ ନେତା ଚିରାଗ ପାଶ୍ବାନ୍‌ ଏବଂ ତେଜସ୍ବୀ ଯାଦବଙ୍କ ପାଇଁ ଏହା ପରୀକ୍ଷାର ସମୟ। ବିହାର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିଯାଇଛି। କିନ୍ତୁ ଉଭୟ ରାଜ୍ୟ ଏବଂ ଜାତୀୟ ରାଜନୀତିରେ ୨ ଜଣ ବରିଷ୍ଠ ନେତା ପ୍ରତ୍ୟକ୍ଷ ଭାବେ ଅନୁପସ୍ଥିତ ରହିବା ଦ୍ବାରା ବିହାର ପରି ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ନିର୍ବାଚନର ପୂର୍ବ ସ୍ଥିତି ମାନ୍ଦା ରହିଛି। ୭୨ ବର୍ଷୀୟ ଲାଲୁ ପ୍ରସାଦ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ୨୦୧୭ ଡିସେମ୍ବରରୁ ସେ ରାଞ୍ଚି ଜେଲ୍‌ରେ ଅଛନ୍ତି। ସେହିପରି ୭୪ ବର୍ଷୀୟ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ବାନ ଗତ କିଛି ସପ୍ତାହ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛଛନ୍ତି। ଅସୁସ୍ଥତା ବଢ଼ିଯିବାରୁ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ର ଆଇସିୟୁରେ ଅଛନ୍ତି। ୨୦୨୦ ବିହାର ବିଧାନସଭା ନିର୍ବାଚନ ହେଉଛି ପ୍ରଥମ ନିର୍ବାଚନ ଯେଉଁଥିରେ ବରିଷ୍ଠ ନେତା ଲାଲୁ ଏବଂ ପାଶ୍ବାନ ଅନୁପସ୍ଥିତ ରହିବେ। ସେମାନଙ୍କ ପୁଅ ତେଜସ୍ବୀ ଏବଂ ଚିରାଗ୍‌ ସେମାନଙ୍କ ଦଳର ନେତୃତ୍ବ ନେ‌ବେ। ତେବେ ଦୁଇ ଯୁବନେତାଙ୍କ ହାତରେ ଦଳର ଭାଗ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ୩ ବର୍ଷ ଧରି ଆର୍‌ଜେଡିର ଦାୟିତ୍ବ ତେଜସ୍ବୀଙ୍କ ହାତରେ ଅଛି। ଅନ୍ୟପକ୍ଷେ ଚିରାଗ୍‌ ଗତ ୨୦୧୯ ନଭେମ୍ବରରେ ଏଲ୍‌ଜେପିର ଶାସନ ଭାର ଗ୍ରହଣ କରିଥିଲେ।



from ରାଜନୀତି – Sambad https://ift.tt/3l1SN0q